info@reportersclub.in


By Reporter's Club   Jul, 12 2024,  03:07:48

ODISHA, ANGUL, SAROJ KANTA JENA , ID NO-55046

ହେରାପଞ୍ଚମୀ

ll ହେରାପଞ୍ଚମୀ ll 
ଅନଗୁଳ : ପବିତ୍ର ହେରା ପଞ୍ଚମୀ ଶ୍ରୀ ଗୁଣ୍ଡିଚା ଯାତ୍ରା ର ପଞ୍ଚମ ଦିବସ ତତ୍ତ୍ୱ ପୂର୍ଣ୍ଣ ପବିତ୍ର ଦିନ ଟିଏ । ଶ୍ରୀମନ୍ଦିରରେ ଏକୁଟିଆ ପତ୍ନୀଙ୍କୁ ଛାଡ଼ି ଭାଇଭଉଣୀକୁ ଘେନି କାଳିଆ ସାନ୍ତେ ଗୁଣ୍ଡିଚାଘରେ ।  ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମାସାଆନ୍ତାଣୀଙ୍କ ସାକ୍ଷାତ ହୋଇନାହିଁ, ପ୍ରଭୁ ଭୀଷଣ ଜ୍ୱର ରୁ ଆଶ୍ବସ୍ତି ପାଉ ପାଉ ବଡ଼ ଭାଇ ବଳିଆ ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସି ଘରକୁ ଯାତ୍ରା । ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି । ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ।ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ ଗତକାଲି ବନକଲାଗି ହୋଇଛନ୍ତି ।ରଥଯାତ୍ରା ପାଳନ ଅବସରରେ ହେରାପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।  ଆଷାଢ ଦ୍ୱିତୀୟା ତିଥୀ ଘୋଷଯାତ୍ରାର ପଞ୍ଚମ ଦିନରେ ସ୍ୱାମୀ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ମାସାଆନ୍ତାଣୀ ଗୋପନରେ ଯାତ୍ରା କରିଥିଲେ । ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ମହାଲକ୍ଷ୍ମୀଙ୍କର ଏହି ଯାତ୍ରା ହେରାପଞ୍ଚମୀ ନାମରେ ପ୍ରସିଦ୍ଧ । ଏହି ଯାତ୍ରା ଜଗନ୍ନାଥ ସଂସ୍କୃତିର ଏକ ମହତ୍ୱପୂର୍ଣ୍ଣ ବିଭବ ଅଟେ l ପ୍ରତ୍ୟେକ ଯୁଗରେ ଯେତେବେଳେ ଭଗବାନ ବିଷ୍ଣୁ ଧରାବତରଣ କରିଛନ୍ତି ସେତେବେଳେ ତାଙ୍କ ଅନୁରୋଧ ରକ୍ଷାକରି ମହାଲକ୍ଷ୍ମୀ ସର୍ବଦା ମର୍ତ୍ତ୍ୟାବରଣ କରିଥାନ୍ତ l ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ଭାବରେ ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ଦିନ ଲକ୍ଷ୍ମୀ ସ୍ୱରୁପା ରୁକ୍ମଣୀଙ୍କୁ ବିବାହ କରିଥାନ୍ତି । ଶୁକ୍ଲ ଚତୁଦର୍ଶୀ ରାତ୍ରରେ ତାଙ୍କର ଚତୁର୍ଥୀ ହୋମ ହୋଇଥାଏ । କିନ୍ତୁ ମହାପ୍ରଭୁ ଚତୁର୍ଥୀ ସ୍ନାନ କରିବାକୁ ଯାଇ ଗୋପ୍ୟ ହୋଇଯାଇଥାନ୍ତି, ମାତା ଲକ୍ଷ୍ମୀଙ୍କ ସହ ଆଉ ଦେଖା ସାକ୍ଷାତ ହୁଏ ନାହିଁ । ଏପଟେ ମହାପ୍ରଭୁଙ୍କୁ ସ୍ନାନ ପରେ ଜ୍ୱରାଗ୍ରସ୍ତ ହୋଇ ଅଣସର ଘରେ ରହିବାକୁ ପଡିଥାଏ ଓ ପରେ ପରେ ନବଯୌବନ ଦର୍ଶନ ଦେଇ ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଭଦ୍ରାଙ୍କୁ ନେଇ ଲକ୍ଷଲକ୍ଷ ଭକ୍ତ ଗହଣରେ ଗୁଣ୍ଡିଚା ରାଣୀ ଘରକୁ ଘୋଷଯାତ୍ରାରେ ବାହାରି ପଡନ୍ତି । ଏଥିରେ ମହାଲକ୍ଷ୍ମୀ କ୍ରୋଧିତ ହୋଇ ଏକ ସାଧାରଣ ଲୌକିକ ନାରୀ ରୂପେ ନିଜ ଦୁଃଖ ସମ୍ପର୍କରେ ଶ୍ରୀକ୍ଷେତ୍ର ରାଜେଶ୍ଵରୀ ମା ବିମଳାଙ୍କୁ କହିଥାନ୍ତି । ଏହାପରେ ବିମଳା ଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଥିଲେ-

“ ସ୍ୱାମୀ ଯଦି ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି, ତେବେ ତାଙ୍କୁ ଉଚ୍ଚାରିତ କରିବାକୁ ପଡିଥାଏ ।
ତେଣୁ ତୁମେ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯିବା ଉଚିତ୍ । ଏହା ପରେ  ମା ବିମଳାଙ୍କ ପରାମର୍ଶ କ୍ରମେ ମା ଭଗବତୀ କଲ୍ୟାଣ ମୟୀ ରଥ ଯାତ୍ରାର ପଞ୍ଚମ ଦିନ ଆଜିର ପବିତ୍ର ଦିବସ ହେରା ପଞ୍ଚମୀ ରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। କାଳିଆ ସାଆନ୍ତ ଆଜି ମା ସାଆନ୍ତାଣୀ ଙ୍କୁ ଦେଖିବେ। ମା ସାଆନ୍ତାଣୀ ଆଜି କାଳିଆ ସାଆନ୍ତଙ୍କୁ ଦେଖିବେ l ଶ୍ରୀମନ୍ଦିର ନୀତି ମୁତାବକ    ପ୍ରଥମେ  ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରନ୍ତି । ତା’ ପରେ ବନକ ଲାଗି, ପାଟ ଓ ଅଳଙ୍କାର ଲାଗି ହୁଏ । ପାଳିଆ ମେକାପ, ପ୍ରତିହାରୀ ଓ ମୁଦୁଲି ଦେଇଥିବା ପନ୍ତି ଭୋଗ ପୂଜାପଣ୍ଡା କରନ୍ତି । ଏହାପରେ ମହାଜନମାନେ ଲକ୍ଷ୍ମୀଙ୍କୁ ନେଇ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ କରାନ୍ତି । ବିମାନବଡ଼୍ରୁମାନେ ବିମାନ କାନ୍ଧେଇ, ଘଣ୍ଟ, କାହାଳୀ ବାଜା, ଛତାର ଛତ୍ର ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଗୁଣ୍ଡିଚା ଘର ସାମନାରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ଠିଆ ହୁଅନ୍ତି । ଏଠାରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ କରନ୍ତି । ଘଷା ବିଡ଼ିଆ ଓ ଦହିପଟି ମଣୋହି କରନ୍ତି । ଏ ମଧ୍ୟରେ ଗୁଣ୍ଡିଚା ଘରେ ତିନିବାଡ଼ରେ ସର୍ବାଙ୍ଗ ପରେ ବେଶ ହୋଇ ଓ ସଂଧ୍ୟାଧୂପ ଉଠି ପୂଜାପଣ୍ଡା ପୂଜାରେ ବସିଥାନ୍ତି । ଲକ୍ଷ୍ମୀ ରଥ ପାଖରୁ ଜଗମୋହନ ଜୟ ବିଜୟ ଦ୍ୱାରଠାକୁ ଆସିଥାନ୍ତି । ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଲା ପରେ ପୂଜାପଣ୍ଡା ପୂଜା ବଢ଼ାଇ ଧୂପ ଦୀପ ଦେଇ ଟେରା ପକାନ୍ତି । ଲକ୍ଷ୍ମୀଙ୍କ ବିମାନକୁ ଜଗମୋହନରୁ ନାକଚଣା ଦ୍ୱାର ଦେଇ ତେନ୍ତୁଳିଗଛ ପାଖରେ ରଖାଯାଏ । ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁଠାରୁ ହାତୁଆଣି ନେଇ ବନ୍ଦାପନା କରନ୍ତି ଓ ଦହିପଟି ମଣୋହି କରାନ୍ତି । ଏହାପରେ ତାଙ୍କର ବିମାନକୁ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଏ । ପ୍ରେମର ସୂଚକ ଭାବର ସୂଚକ ରୂପରେ ନନ୍ଦିଘୋସ ରଥର ହଂସ ପଟାରୁ ଗୋଟିଏ ଅଂଶ କୁ ସେବକଙ୍କ ଭିତରୁ ଜଣେ ଭାଙ୍ଗି ଦେବା ପରେ ହରଗୌରୀ ସାହି ଦେଇ ବଡ଼ ଦେଉଳକୁ ବିଜେ କରନ୍ତି l ଲକ୍ଷ୍ମୀ ଶ୍ରୀ ମନ୍ଦିରରୁ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିବାରେ ସଫଳ ହେବାପରେ ଏହାର  ପରଦିନ  ପ୍ରତ୍ୟାବର୍ତ୍ତନ ପାଇଁ ରଥକୁ ଦକ୍ଷିଣାଭିମୁଖି କରିବା ନିମନ୍ତେ ଆଦେଶ ଦିଆଯାଇଥାଏ । ଫଳରେ ହେରାପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ କରା ଯାଇଥାଏ।ଶ୍ରୀମନ୍ଦିର ଇତିହାସରୁ ଜଣାଯାଏ, ହେରାପଞ୍ଚମୀ ଉତ୍ସବ ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରୁ ପାଳିତ ହୋଇଆସୁଅଛି ।