info@reportersclub.in


By Reporter's Club   Jul, 12 2024,  03:07:19

ODISHA, ROURKELA, Manoj Satapathy, ID NO-55010

ବଲଣ୍ଡା ରଥଯାତ୍ରା ପଛର ରୋଚକ ତଥ୍ୟ ଓ ଇତିହାସ

By Sri Dol Govind Dash
ବଲଣ୍ଡା ଗ୍ରାମ ଲାଠିକଟା ବ୍ଲକ୍ ରେ ଅନ୍ତର୍ଗତ, କଲୁଙ୍ଗା ରେଲ ଷ୍ଟେସନ ରୁ ଦକ୍ଷିଣ କୁ ମାତ୍ର ଦେଢ କିଲୋମିଟର ଦୂରରେ ବଲଣ୍ଡା ଗ୍ରାମ ଅବସ୍ଥିତ। ଏଠାରେ ବିଗତ 114  ବର୍ଷ ଅର୍ଥାତ୍ ସନ୍ 1910 ମସିହା ରୁ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉଛି  ଯାହାକି ସୁନ୍ଦରଗଡ଼ର ଜିଲ୍ଲାର ଏକ ବହୁ ପୁରାତନ ରଥଯାତ୍ରା। ପୁରୀ ରେ ହେଉଥିବା ଗୁଣ୍ଡିଚା ରଥଯାତ୍ରା ର ଠିକ୍ ପରଦିନ ହିଁ ଏହା ପାଳିତ ହୁଏ, ଏହା ପଛରେ ଏକ ରୋଚକ ତଥ୍ୟ ଓ ଇତିହାସ ଅଛି। 
ଇଂରେଜ ଶାସନ କାଳରେ ସୁନ୍ଦରଗଡ଼ ରାଜା ଙ୍କ ଅଧୀନରେ ଥିବା ବିଭିନ୍ନ ଗଡ଼ଜାତ ଓ ଜମିଦାରୀ ଙ୍କ କର ଅସୁଲି ପାଇଁ କିଛି କିଛି ଗ୍ରାମ ଗୁଡିକରେ ଗୌନ୍ତିଆ ( ଗଞ୍ଜୁ) ନିଯୁକ୍ତି କରୁଥିଲେ । 
ଗୌନ୍ତିଆ ( ଗଞ୍ଜୁ) ମାନେ ରାଜା ଓ ଜମିଦାରଙ୍କ ପ୍ରତିନିଧି ଥିଲେ , ଗ୍ରାମ ରେ ଛୋଟ ଛୋଟ ମାଳି ମକଦ୍ଦମା ର ମୀମାଂସା , ସରକାରୀ ଜମିର ରକ୍ଷଣ ବେକ୍ଷଣ ତଥା କର ଅସୁଲି ତାଙ୍କର ପ୍ରମୁଖ କାମଥିଲା । ବଲଣ୍ଡା ଥିଲା ନାଗରା ଇଷ୍ଟେଟ ଙ୍କ ମାଲିକ କୁଆଁରମୁଣ୍ଡା ଜମିଦାର ଙ୍କ ଅଧୀନରେ , ସନ୍ 1898 ସମୟର କଥା, ବଲଣ୍ଡା ର ଗୌନ୍ତିଆ ଥାଆନ୍ତି ଅର୍ଜୁନ ରାଜ ଯିଏକି କୁଆଁରମୁଣ୍ଡା ଜମିଦାର ସ୍ଵର୍ଗତ ହରିହର ସିଂ ମହାପାତ୍ର ଙ୍କ ନିକଟ ସମ୍ପର୍କୀୟ ମାତ୍ର ଅର୍ଜୁନ ରାଜ ବହୁତ ଜିଦ୍ଦି ପ୍ରକୃତିର ଲୋକ ଥିଲେ ତେଣୁ     ପ୍ରଜା ମାନେ ତାଙ୍କୁ ଅଡଣ୍ଟ ରାଜ ବୋଲି କହୁଥିଲେ, କର ଅସୁଲ କରି ଜମିଦାର ଙ୍କ କୋଷାଗାର ରେ ଜମା ନ ଦେବାରୁ ଓ ସମୟ ସମୟରେ ଅଯଥା ଯୁକ୍ତି କରୁଥିବାରୁ ଜମିଦାର ବିରକ୍ତ ହୋଇ  ତାଙ୍କୁ ଗୌନ୍ତିଆ ପଦରୁ ବେଦଖଲ କଲେ ଓ ବଲଣ୍ଡା, ଜୁନେନ୍ ଓ ପିତାମହଲ ଗ୍ରାମକୁ ନିଲାମ କଲେ। ଝାରସୁଗୁଡ଼ା ନିକଟସ୍ତ ମାଳିମୁଣ୍ଡା ନିବାସୀ ଜଗତରାମ ନାଏକ ନିଲାମ ରେ ଏହି ଗ୍ରାମ ଗୁଡିକୁ କିଣି ନୂତନ ଗୌନ୍ତିଆ ହେଲେ। ତାଙ୍କ ଅନ୍ତେ ତାଙ୍କର ତିନି ପୁଅଙ୍କ ମଧ୍ୟରୁ ବଡ ପୁଅ ରଘୁନାଥ ନାଏକ ଜୁନେନ୍ ରେ ଓ ସବା ସାନ ପୁଅ ଦୟାନିଧି ନାଏକ ବଲଣ୍ଡା ରେ ଅବସ୍ଥାନ କଲେ। ଶୁଣିବାକୁ ମିଳେ ଦୟାନିଧି ନାଏକ ଙ୍କୁ ଗୋଟିଏ ରାତ୍ରି ରେ ସ୍ଵପ୍ନାଦେଶ ହେଲା ଯେ ଗୋଟିଏ ବଡ଼ନଦୀ ରେ ତିନୋଟି ବିଗ୍ରହ ଭାସି ଆସୁଛନ୍ତି ଓ ତାଙ୍କୁ ଯେମିତି ହେଲେ ବି ଉଦ୍ଧାର କରା ଯାଉ। ସ୍ଵପ୍ନାଦେଶ ର ଖବର ପରଦିନ ଚାରିଆଡ଼େ ରାଷ୍ଟ୍ର ହୋଇଗଲା,  କୁଆଁରମୁଣ୍ଡା ଜମିଦାର ଙ୍କ ପାଖକୁ  ମଧ୍ୟ  ଏ ଖବର ପହଞ୍ଚିଲା, ଦେଖୁ ଦେଖୁ ଜଣା ପଡିଲା ଯେ ପବିତ୍ର ବେଦବ୍ୟାସ ର ତ୍ରିବେଣୀ ସଙ୍ଗମ ରେ ତିନୋଟି ଯାକ ବିଗ୍ରହ ଭାସି ଆସୁଥିବା ବେଳେ ମାଛ ମାରୁଥିବା ଝରା ଜାତୀୟ ଲୋକମାନେ ଉଦ୍ଧାର କରିଛନ୍ତି । ଖବର କୁଆଁରମୁଣ୍ଡା ଜମିଦାର ଙ୍କ ପାଖକୁ ଯିବାରୁ ଜମିଦାର ନିଜେ ଆସି ବିଗ୍ରହ ତ୍ରୟ ଙ୍କ ପ୍ରାଣପ୍ରତିଷ୍ଠା କରି ସାମୟିକ ଭାବେ ବେଦବ୍ୟାସ ଧାମ ରେ ପୂଜା କରିବା ପାଇଁ ପୂଜକ ଜଗନ୍ନାଥ ଦାଶ ଙ୍କୁ ଦାୟିତ୍ଵ ଦେଲେ। କିଛିଦିନ ପରେ ଜମିଦାର ମହାଶୟ ବଲଣ୍ଡା ର  ଗୌନ୍ତିଆ ଦୟାନିଧି ନାଏକ ଙ୍କୁ ଡାକି ତାଙ୍କର ସ୍ଵପ୍ନାଦେଶ ସତ୍ୟ ହେଲା ତେଣୁ ଏହି ବିଗ୍ରହ ତ୍ରୟ ବଲଣ୍ଡା କୁ ନିଆଯାଇ ସେଇଠି ପୂଜା ପାଆନ୍ତୁ ଏବଂ ଯେହେତୁ ଶ୍ରୀ ଗୁଣ୍ଡିଚା ଦିନ କୁଆଁରମୁଣ୍ଡା ରେ ରଥ ଯାତ୍ରା ପାଳିତ ହୁଏ ତେଣୁ ତା ପରଦିନ ବଲଣ୍ଡା ଏବଂ ଆରଦିନ ବେଦବ୍ୟାସ ରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି ଏହାଦ୍ୱାରା ପାଖଆଖର ଲୋକମାନେ ସବୁ ଜାଗା କୁ ଯାଇ ରଥ ଯାତ୍ରା ଦେଖି ପାରିବେ ଏବଂ ବ୍ୟବସାୟୀ ମାନେ ବି ଲାଭାନ୍ୱିତ ହେବେ । ଏପରି କହିବାରୁ ଅଞ୍ଚଳର ହଜାର ହଜାର ଲୋକ ଖୋଳ କରତାଳ, ଦୁଲୁଦୁଲି ବାଜା, ହୁଳହୁଳି ହରିବୋଲ ସହ ବିଗ୍ରହ ଙ୍କୁ ଶଗଡ଼ରେ ନେଇ ଏକ ଖପର ଘରେ ନେଇ ପୂଜା କରେଇଲେ ଏହି ଘଟଣା ପାଖାପାଖି ସନ୍ 1910 ମସିହା ର କଥା। ସେତେବେଳେ ଅନୁସନ୍ଧାନ ରେ ଜଣା ପଡିଥିଲା ଯେ ବିହାର ( ଅଧୁନା ଝାରଖଣ୍ଡ ରାଜ୍ୟ) ର ଏକ ବ୍ରାହ୍ମଣ ଶାସନ ଗ୍ରାମରେ ଏହି ବିଗ୍ରହ ପୂଜା ପାଉଥିଲେ ଏବଂ କୌଣସି କାରଣବସତ ବିଗ୍ରହ ମାନଙ୍କୁ ଜଳ ରେ ପ୍ରବାହିତ କରି ଦିଆ ଯାଇ ଥିଲା । ସନ 1997-98 ତତ୍କାଳୀନ ଗୌନ୍ତିଆ ସ୍ଵର୍ଗତ ନରେନ୍ଦ୍ର ପଟେଲ ଓ ଗ୍ରାମବାସୀଙ୍କ ସହଯୋଗରେ ପୁରୁଣା ମନ୍ଦିର ଜାଗାରେ ଏକ ନୂତନ ମନ୍ଦିର ନିର୍ମାଣ କରାଗଲା ଯାହାକି ଏବେ ଦେଖିବାକୁ ମିଳିଥାଏ। 

ସନ୍ 1926ରୁ ଶୁକଦେବ ଦାଶ  ଙ୍କୁ ପୂଜକ ଭାବେ ନିଯୁକ୍ତ କରାଗଲା। ଉପରୋକ୍ତ ପ୍ରସଙ୍ଗ ପୂଜକ ସ୍ଵର୍ଗତ ଶୁକଦେବ ଦାଶ ଙ୍କ  ପୁତ୍ର ସ୍ଵର୍ଗତ ଭାଗୀରଥୀ ଦାଶ ଏବଂ ଜୁନେନ୍ ଗ୍ରାମର ବର୍ତ୍ତମାନ ର ଗୌନ୍ତିଆ ଙ୍କ ଶ୍ରୀ ଲିଙ୍ଗରାଜ ନାଏକ ତଥା ଗ୍ରାମର ପୁରୁଖା ଙ୍କ ଠାରୁ ଶୁଣାଯାଇଛି।  ପୂଜକ ସ୍ଵର୍ଗତ ଭାଗୀରଥୀ ଦାଶ ଙ୍କ କନିଷ୍ଠ ପୁତ୍ର ଶ୍ରୀ ଧୀରେନ୍ କୁମାର ଦାଶ ଏବେ ପୂଜା କାର୍ଯ୍ୟ ସମ୍ଭାଳିଛନ୍ତି। 
ବଲଣ୍ଡା ର ତତ୍କାଳୀନ ଗୌନ୍ତିଆ ସ୍ଵର୍ଗତ ନରେନ୍ଦ୍ର ପଟେଲ ଙ୍କ ତିରୋଧାନ ପରେ ତାଙ୍କର ବଡ଼ ଝିଅ ଡଃ.ମୀନୁ ପଟେଲ ଓ ଜ୍ୱାଇଁ ଡଃ. ନିମାଇଁ ପଟେଲ ରଥ ଯାତ୍ରା ର ଯାବତୀୟ ଖର୍ଚ ତୁଲାଉଛନ୍ତି।  ରଥଯାତ୍ରା ରେ  ଛେରାପହଁରା ମଧ୍ୟ ପ୍ରତେକ ବର୍ଷ କରନ୍ତି। 
ସବୁଠାରୁ ବଡ କଥା ହେଲା ଏହି ଦିନ ବଲଣ୍ଡା ତଥା ଆଖପାଖ ଗ୍ରାମରେ  ପ୍ରତ୍ୟେକ ଙ୍କ ଘରେ ପିଠାପଣା , କ୍ଷୀରି ପୁରୀ ତିଆରି ହୁଏ ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି। ଆଗରୁ ଗଡପୋଷ,  ସଗରା,  ରାଜଗାଙ୍ଗପୁର, କାନସବାହାଲ, ବିରଡା, ବିରକେରା ଅଂଚଳରୁ ଲୋକମାନେ ରଥଯାତ୍ରା ର   ଗୋଟିଏ ଦିନ ପୂର୍ବରୁ କୁଣିଆ ଆସୁଥିଲେ। ନୁତନ କରି ଜନ୍ମ ହୋଇଥିବା ଶିଶୁ ମାନଙ୍କର ରଥ ଛୁଆଁ  ଓ ଠାକୁର  ଦର୍ଶନ ଏକ ନିଆରା ପରମ୍ପରା ଯାହା ଆଜି ଯାଏ ଦେଖିବାକୁ ମିଳେ। ସମୟାନୁକ୍ରମେ ରଥଦାଣ୍ଡ ସଙ୍କୁଚିତ ହୋଇ ନୂତନ ଘର ସବୁ ନିର୍ମାଣ ହୋଇଯିବାରୁ ଜାଗା ର ଅଭାବ ପରିଲକ୍ଷିତ ହେଉଛି ତଥାପି ଶହେ ବର୍ଷ ର ପୁରୁଣା ରଥଯାତ୍ରାର ଗତି ସୁବିଧା ଅସୁବିଧା ଦେଇ ଏବେ ବି ଗଡି ଚାଲିଛି।