info@reportersclub.in


By Reporter's Club   Jul, 25 2024,  08:07:04

ODISHA, ROURKELA, Manoj Satapathy, ID NO-55010

ମହାବୀର ଫେରୋ ମୁଖିଆ ଭିକି ଜେନଙ୍କ ସୁନ୍ଦରଗଡ ଜିଲ୍ଲାରେ " ଜମି ଜେହାଦ" ଘୋଷଣା !

ରାଉରକେଲା (ବ୍ୟୁରୋ), କଲୁଙ୍ଗା ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା ଶ୍ରୀ ମହାବୀର ଫେରୋ ଆଲଏଜ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀ ଭିନ୍ନ ଭିନ୍ନ ନାଁରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକରେ ଭିନ୍ନ ଭିନ୍ନ ବାହାନାରେ ଇଡ଼କୋ ସଂସ୍ଥାରୁ ଜମି ନେବାରେ ଲାଗିଛି ଏବଂ ଇଡ଼କୋ, ଏକ ସରକାରୀ ସଂସ୍ଥା ହୋଇଥିଲେ ମଧ୍ୟ୍ୟ ସୁନ୍ଦରଗଡ ଜିଲ୍ଲାର ନିରୀହ ସରଳ ଆଦିବାସୀଙ୍କ ବ୍ୟବହାର ପାଇଁ ରହିଥିବା ଜମିକୁ ମହାବୀର ପରି ପୁଞ୍ଜିପତି ମାନଙ୍କ ହାତକୁ ସାଗ-ମାଛ ଦର ରେ ଟେକି ଦେଉଛି l
ମିଛସତ ସରକାରୀ ଦସ୍ତାବିଜ କରି ମହାବୀର କମ୍ପାନୀ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜମି ନେବା ଓ ଜଣାପଡିବା ପରେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଏବେ ମହାବୀର ମୁଖିଆ ଭିକି ଜେନ ନୂଆ ନୂଆ କମ୍ପାନୀ (ସିଷ୍ଟର କନ୍ସର୍ନ) ଗଠନ କରି ଜମି ହଡପ କରିବାରେ ଲାଗିଛନ୍ତି l ଭିକି ଜେନଙ୍କର ଜମି ହଡପ କରିବାର ସ୍ପିଡ଼ ଏତେ ଅଧିକ ଅଛି ଯେ ଲାଗୁଛି ସତେ ଯେମିତି ସେ ସୁନ୍ଦରଗଡ ଜିଲ୍ଲାରେ "ଜମି ଜେହାଦ" ଘୋଷଣା କରିଛନ୍ତି l
କୁଆଁରମୁଣ୍ଡାରେ ସରକାରୀ ନିୟମକୁ ଖାତିରି ନକରି ଇଡ଼କୋ ଅଧିକାରୀ ଯୌତୁକ ଦେବାଭଳି ଡ଼ାଇରୀ ଫାର୍ମର ଜମିକୁ ଟେକିଦେଲେ ମହାବୀର ହାତରେ l ଲୋକେ ବିରୋଧ କଲେ, ହେଲେ ମୋଟା ମାଲ ଖାଇ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହିଲେ ତତ୍କାଳୀନ ବିଜେଡ଼ି ସରକାର l ଏବେ ପୁଣି ସେହିଭଳି ଏକ ଜମି କେଳେଙ୍କାରୀ ଦେଖିବାକୁ ମିଳିଛି ଲାଠିକଟା ବ୍ଲକ ଅନ୍ତର୍ଗତ ବଲାଣି ଗାଁରେ l ଏଥର ମହାବୀର କୁ ଯୌତୁକରେ ମିଳିଛି ୨୧ ଏକର ୩୫ ଡେସିମିଲ ଜମି l
ଲାଠିକଟା ତହସିଲ ଅନ୍ତର୍ଗତ ବଲାଣି ଗାଁରେ ମହାବୀର ଫେରୋ ର ଏକ ସଂସ୍ଥା Envirocare Infrasolutions Pvt. Ltd. କୁ ପତିତ କିସମର ୨୧ ଏକର ୩୫ ଡେସିମିଲ ଜମି (ମୌଜା-ବଲାଣି, ଖାତା ନଂ-119/213, ପ୍ଲଟ ନଂ-2) ଇଡ଼କୋ ତରଫରୁ ଏକର ମାତ୍ର ୬ ଲକ୍ଷ ଟଙ୍କାରେ ଦିଆଯାଇଛି l ପ୍ରକାଶ ଥାଉକି ଏହି ଅଞ୍ଚଳରେ ମାର୍କେଟ ଦର ଏକର ପିଛା ୨ କୋଟି ଟଙ୍କା ରହିଛି l ଗତ ବୁଧବାର 24 ଜୁଲାଇରେ ଏହି ଜମିର ଡିମାରକେସନ ହେବା ପାଇଁ ତହସିଲଦାର ସ୍ଥିର କରିଥିଲେ l ମିଛସତ କାଗଜ କରି ବିନା ଗ୍ରାମସଭାରେ ଏହି ଜମିକୁ ଇଡ଼କୋ କୁ ଦିଆଯାଇଛି ଏବଂ ଇଡ଼କୋ ମଧ୍ୟ୍ୟ ଠିକ ସେହିପରି ଉକ୍ତ ଜମିକୁ ମହାବୀର ର ଏକ ସଂସ୍ଥାକୁ ଟେକିଦେବାକୁ ଚକ୍ରାନ୍ତ କରୁଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିବା ସହିତ ବିଜେପି ଯୁବନେତା ବିଜୟ ଖାଲଖୋ, ଲାଠିକଟା ବ୍ଲକ ଉପାଧ୍ୟକ୍ଷା ବାସନ୍ତୀ ଓରାମ, ଗର୍ଜନ ସରପଞ୍ଚ ସଚିନ ଏକ୍କା, ସୁଇଡ଼ିହି ସରପଞ୍ଚ ଅରୁଣା କିଷାନ, ସମାଜସେବୀ ଉମେଶ ନାଗ ପ୍ରମୁଖ ଭୁବନେଶ୍ୱର ଯାଇ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଓ ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତିଙ୍କ ନେତୃତ୍ୱରେ ରାଜସ୍ବ ମନ୍ତୀ ଶ୍ରୀ ସୁରେଶ ପୂଜାରୀଙ୍କୁ ଦେଖାକରି ଏହି ଜମିଚୋରି କେଳେଙ୍କାରୀ ବିଷୟରେ ଅବଗତ କରାଇଥିଲେ l 
ସୂତ୍ର ଅନୁଯାଇ କୁଆଡେ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ସୁନ୍ଦରଗଡ ଜିଲ୍ଲାପାଳ ଦାୟିତ୍ୱରେ ଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଙ୍କୁ ଏହି ପ୍ରସ୍ତାବିତ ଡିମାରକେସନ ବନ୍ଦ କରିବା ପାଇଁ ନିର୍ଦେଶ ଦେବା ସହିତ ମହାବୀର ଫେରୋ ଓ ତାର ସିଷ୍ଟର କନ୍ସର୍ନ କୁ ଦିଆଯାଇଥିବା ସମସ୍ତ ଜମିଜମାର ସବିଶେଷ ବିବରଣୀ ରାଜସ୍ବ ମନ୍ତ୍ରଣାଳୟ କୁ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି l ଅବଶ୍ୟ ରାଜସ୍ବ ମନ୍ତ୍ରୀଙ୍କ ଫୋନ ଆସିବାର ଘଣ୍ଟାଏ ଭିତରେ ଲାଠିକଟା ତହସିଲଦାରଙ୍କ ଚିଠି ନଂ 2029, ତାରିଖ 22 ଜୁଲାଇ ମାଧ୍ୟମରେ ଡିମାରକେସନ କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା l
"ଜମି ଜେହାଦ" ପଛରେ ପ୍ରକୃତରେ କିଏ ?
ମହାବୀର ମୁଖିଆ ଭିକି ଜେନ ନା ଇଡ଼କୋ ନା ଜିଲ୍ଲାପାଳ ନା ରାଜ୍ୟ ସରକାର ?
ସାଗମାଛ ଦର ରେ ଇଡ଼କୋ ରୁ ଜମି ନେଇ କୋଟି କୋଟି ଟଙ୍କାରେ ବ୍ୟାଙ୍କରେ ବନ୍ଧକ ରଖି ଋଣ ନେବା ଏକ ନୂଆ ପ୍ରକାର ର ବ୍ୟବସାୟ ଵନିଯାଇଛି ଆଜିର ପୁଞ୍ଜିପତି ମାନଙ୍କ ପାଇଁ l ଏଠି ମଧ୍ୟ୍ୟ ଠିକ ସେଇଆ l କିଛି ଭ୍ରଷ୍ଟ ଇଡ଼କୋ ଅଧିକାରୀଙ୍କୁ ହାତବାରିସୀ କରି ମହାବୀର ଓ ତା ପରି ପୁଞ୍ଜିପତି ବେପାରୀ ମାନେ ହାତେଇ ଚାଲିଛନ୍ତି ଏକର ଏକର ଜମି l ତେବେ ଏ ଯେଉଁ "ଜମି ଜେହାଦ" ଚାଲିଛି ତା ପାଇଁ ଦାୟୀ କିଏ ? ଯଦି ସେ ସମୟରେ ତତ୍କାଳୀନ ବିଜୁ ଜନତା ଦଳର ସରକାର ବା ତାଙ୍କ ମୁଖିଆ ନବୀନ ପଟ୍ଟନାୟକ ଚାହିଁଥାନ୍ତେ କଣ ଏହି "ଜମି ଜେହାଦ" ବନ୍ଦ କରାଯାଇ ପାରିନଥାନ୍ତା ? କାହା ଗୁଣ ଗାଇବେ, ଏଠି ତ କମ୍ବଳ ଯାକ ବାଳ....
ତଥାପି ଦେଖିବାକୁ ବାକି ରହିଲା ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ କେତେ ରଙ୍ଗ ନେଉଛି ଓ ଏହି ଜମିଗିଳା ପୁଞ୍ଜିପତି ରାକ୍ଷସଙ୍କ "ଜମି ଜେହାଦ" ବନ୍ଦ ହେଉଛି କି ନା...

କୁଆଁରମୁଣ୍ଡା ଡ଼ାଇରୀ ଫାର୍ମ ଜମି କେଳେଙ୍କାରୀ ର ତଦନ୍ତ ହେବ କେବେ ?
ମହାବୀର ଫେରୋ କୁ ସେମିତି ଅନୀତିକର ଭାବେ ୨0 ଏକର ୯0 ଡେସିମିଲ ଜମି ଇଡ଼କୋ ମାଧ୍ୟମରେ ପ୍ରଦାନ କରାଯାଇଥିଲା l ଏହି ଜମି ଯୋଗାଣରେ ମଧ୍ୟ୍ୟ ବେଶ ପ୍ରିୟପ୍ରିତି ଦେଖିବାକୁ ମିଳିଥିଲା l ସ୍ଥାନୀୟ ଜନସାଧାରଣ ବର୍ଷ ବର୍ଷ ଧରି ଲଢେଇ ଜାରି ରଖିଥିଲେ ପ୍ରଶାସନ ଓ ମହାବୀର ସହିତ l ମାତ୍ର ତତ୍କାଳୀନ ସରକାରଙ୍କ ଅଂହକାର ଆଗରେ ସମସ୍ତେ ହାରିଥିଲେ l ଜୋର ଜବରଦସ୍ତି ଭାବେ ଶହ ଶହ ପୋଲିସ ଫୋର୍ସ ମୁତୟନ କରାଯାଇ ଜମି ହସ୍ତାନ୍ତର କରାଯାଇଥିଲା ସରକାରୀ ଗେଲ୍ହାପୁଅ ମହାବୀର ମୁଖିଆ ଭିକି ଜେନଙ୍କୁ l ତା ପରେ ଜଣେ ସ୍ଥାନୀୟ ସମାଜସେବୀ ଙ୍କ ଅଭିଯୋଗ କ୍ରମେ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ତଦନ୍ତ କରିବାପାଇଁ ନିର୍ଦେଶ ଆସିଥିଲା ତତ୍କାଳୀନ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ l ଏବଂ ଏହି ସଂକ୍ରାନ୍ତରେ କଣ କାର୍ଯ୍ୟାନୁଷ୍ଠାନ ନିଆଗଲା ତାହା ଅଭିଯୋକାରୀଙ୍କୁ ସିଧାସଳଖ ଭାବେ ଅବଗତ କରାଇବାକୁ ନିର୍ଦେଶ ଥିଲା ରାଷ୍ଟ୍ରପତି ଭାବନରୁ l କିନ୍ତୁ ତତ୍କାଳୀନ ତଥାକଥିତ ରାଜ୍ୟ ଆକ୍ଟିଙ୍ଗ ମୁଖିଆ ଭି. କାର୍ତ୍ତିକେନ ପାଣ୍ଡିଆନଙ୍କ କାଠପୁତ୍ତଳି ବନିଥିବା ତତ୍କାଳୀନ ମୁଖ୍ୟ ଶାସନ ସଚିବ ବୋଧେ ସାହସ କରି ପାରିନଥିଲେ ତଦନ୍ତ କରିବାକୁ l ତେଣୁ ବୋଧ ହୁଏ ତଦନ୍ତ ହୋଇ ପାରିଲା ନାହିଁ l କି କଣ ଆକ୍ସନ ନିଆଗଲା ସେ ବିଷୟରେ ମଧ୍ୟ୍ୟ ଅଭିଯୋଗକାରୀ ଙ୍କୁ ଅବଗତ କରାଗଲା ନାହିଁ l ଏବେ ସରକାର ବଦଳିଛି, ସମସ୍ତଙ୍କ ଆଶା ଓ ଆକାଂକ୍ଷା ମଧ୍ୟ୍ୟ ବଦଳିଛି l ଆଶା କରାଯାଏ କି ନାଲି ଫିତା ତଳେ ଚାପିହୋଇ ଯାଇଥିବା ମହାମହିମ ରାଷ୍ଟ୍ରପତିଙ୍କ ନିର୍ଦେଶାନୁଯାଇ ତଦନ୍ତ କରାଯିବା ସହିତ ମହାମହିମ ରାଷ୍ଟ୍ରପତିଙ୍କ ଙ୍କ ଆଦେଶକୁ ଅବମାନନା କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ l